ଗୁରୁମାନଙ୍କର ପୂଜାଦ୍ୱାରା ଆମ ସଂସ୍କୃତିର ମହନୀୟତା ପ୍ରମାଣିତ ହେବ
ଭୁବନେଶ୍ୱର,୨୬ା୧୦(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଆମ ଅନ୍ତରରୁ ଅଜ୍ଞାନ ଅନ୍ଧକାର ଦୂର କରି, ଅବାସ୍ତବତାରୁ ପରମ ବାସ୍ତବତାକୁ ଗ୍ରହଣ କରି ଜନ୍ମମୃତ୍ୟୁର ଚକ୍ରରୁ ପୁନର୍ଜନ୍ମ ନଥିବା ସ୍ଥାନକୁ ନେବାରେ ଗୁରୁଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ସେହି ଗୁରୁରୂପୀ ମହାପୁରୁଷମାନେ ଜଗତହୀତ ସାଧନ ଓ ମାନବ ସମାଜକୁ ଜ୍ଞାନଲୋକ ପ୍ରଦାନ କରି ‘ସର୍ବଜନ ହିତାୟ’ ମନ୍ତ୍ରରେ ତ୍ୟାଗ-ସମର୍ପଣର ଯେଉଁ ପଥ ଦର୍ଶାଇଛନ୍ତି ସେଥିରେ ଆମ୍ଭେମାନେ ଅନୁପ୍ରେରିତ ହେଲେ ଯଥାର୍ଥରେ ଗୁରୁପୂଜା ଓ ଭକ୍ତିର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ଉତ୍କଳୀୟ ସାଧୁ ସନ୍ଥ ବୈଷ୍ଣବ ଆଧ୍ୟାତ୍ମିକ ଚେତନା ସଂଘ ଦ୍ୱାର ଆୟୋଜିତ ହରିବଂଶ ପାରାୟଣର ୭ମ ଦିବସ ଅବସରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ନେମାଳସ୍ଥିତ ପଦ୍ମବନ ପୀଠ ପରିସରରେ ମହାପୁରୁଷ ଅଚ୍ୟୁତାନନ୍ଦ ରଚିତ ପବିତ୍ର ହରିବଂଶ ପାରାୟଣ ଅବସରରରେ ମୁଖ୍ୟ ଅତିଥି ଭାବେ ଓଡିଶା ସନ୍ଥ ସୁରକ୍ଷା ମିଶନର ସଭାପତି ମହନ୍ତ ବିଷ୍ଣୁ ଗିରି ମହାରାଜ ଯୋଗଦେଇ ସନାତନ ଧର୍ମର ବିବିଧ ପୌରାଣିକ ତଥ୍ୟ ଅବଧାରଣା ପୂର୍ବକ ଗୁରୁଙ୍କ ମାଧ୍ୟମରେ ଜୀବନର ଅଧ୍ୟାତ୍ମିକ ଉନ୍ନତି ହୋଇ କିପରି ସାର୍ଥକତା ମିଳିପାରିବ ତାହା ଦର୍ଶାଇଥିଲେ । ଉତ୍କଳୀୟ ପଞ୍ଚସଖା ଭାଗବତ ଆଖଡ଼ା ମହାନିତ୍ୟ ପଦ୍ମଦଳ ସଭାପତି ମହନ୍ତ ଅନନ୍ତ ରାମ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଭାବେ ଗୁପ୍ତ ନଇମିଶା ଶୁକ ପରୀକ୍ଷିତ ଗାଦି ମହନ୍ତ ନମଚାର୍ଯ୍ୟ ଶ୍ରୀମଦ ରେବତୀ ରମଣ ଜୀ ମହାରାଜ ଯୋଗଦେଇଥିବା ବେଳେ ଅତିଥି ଭାବେ ବରିଷ୍ଠ ସେବାୟତ ପଦ୍ମନାଭ ପୂଝାରୀ, ଖିଲାରନାଥ ପୁରୀ ,ଦ୍ୱାରିକାନାଥ ଦାସ ,ଶୁକ ବାବା ,ନାରଣ ବାବା.ରାଜୁ ବାବା, ଶଙ୍କର ବାବା, ଗୁଜୁରାଟର ଜ୍ଞାନଆନନ୍ଦ ଗିରି ,ଓଜୟିନୀ ମହନ୍ତ ଅତର ଗିରି , ଜାମୁ ବୈଷ୍ଣବ ଦେବୀ ପୀଠର ମହନ୍ତ ପ୍ରିତମ ଗିରି , ଦିବାକର ଦାସ,ଅଭୟାନନ୍ଦ ଗିରି,ପଣ୍ଡିତ ଶତ୍ରୁଘ୍ନ ଦାସ, ନିରାକାର ପୁରୀ ପ୍ରମୁଖ ଯୋଗଦେଇ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜୀବନାଦର୍ଶ ସହ ହରିବଂଶ ପାରାୟଣ ତାତ୍ପର୍ଯ୍ୟ ସଂପର୍କରେ ଅବତାରଣା କରି ଗୁରୁମାନଙ୍କର ପୂଜାଦ୍ୱାରା ଆମ ସଂସ୍କୃତିର ମହନୀୟତା ପ୍ରମାଣିତ ହେବ ବୋଲି ମତ ରଖିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ, ବୈଷ୍ଣବ, ଭକ୍ତମଣ୍ଡଳୀ ଯୋଗଦେଇ ହରିବଂଶ ପାଠ କରୁଛନ୍ତି । ସନାତନ ଦାସ , ଶରତଚନ୍ଦ୍ର ମଲ୍ଲିକ, ଅଜୟ କୁମାର ପୃଷ୍ଟି, ସାନ୍ତନୁ ପୂଝାରୀ, ବିଜୟ କୁମାର ଦାସ, ପ୍ରସନ୍ନ କୁମାର ସାହୁ, ବିଭୂତି ପୂଝାରୀ, ଶଶୀକାନ୍ତ ପୂଝାରୀ,ଖିଲାଲନାଥ ପୁରିଙ୍କ ସମେତ ମହାପୁରୁଷ ଶ୍ରୀଶ୍ରୀଅଚ୍ୟୁତାନନ୍ଦ ଓ ଗୋପୀନାଥଜିଉ ଆଶ୍ରମ ଟ୍ରଷ୍ଟର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।